କାରାଗାର ବ୍ୟବସ୍ଥା ଓ କଏଦୀ
ଅପରାଧ ଏଭଳି ଏକ ଶବ୍ଦ ଏହାର କୌଣସି ସରଳ ଓ ସାର୍ବଭୌମିକ ସ୍ୱୀକୃତ ରୂପ ନାହିଁ । ଏହା ଏକ ଦଣ୍ଡନୀୟ ସମାଜ ବିରୋଧୀ କାର୍ଯ୍ୟ । ସମାଜ ଓ ଆଇନ ଦ୍ୱାରା ନିର୍ଦ୍ଧାରିତ ଆଚରଣ ବିଧି ଉଲ୍ଲଂଘନ କରିବା ବା ଏହାକୁ ଅବମାନନା କରିବା ଦଣ୍ଡନୀୟ । ଅପରାଧୀକୁ ଆଇନ ଅନୁଯାୟୀ ନିର୍ଦ୍ଧାରିତ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି, ଦୁର୍ନୀତି, ଅସାମାଜିକ କାର୍ଯ୍ୟକଳାପ ଗୋଟିଏ ଗୋଟିଏ ଅପରାଧିକ କାର୍ଯ୍ୟ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ଓ ଆଇନ ରହିଛି । ଏହି ଆଇନ ଅନୁଯାୟୀ ବିିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ତଥାପି ଦିନକୁ ଦିନ ସମାଜରେ ବଢ଼ିବାରେ ଲାଗିଛି ଅପରାଧ ଘଟଣା । ଅପରାଧ ଏକ ସାମାଜିକ ବ୍ୟାଧି । ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ ସଂଖ୍ୟା । ଏହି କାର୍ଯ୍ୟକଳାପ ଯୋଗୁଁ ନାନା ପ୍ରକାର ସାମାଜିକ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହେଉଛି । ଏହାର କାରଣ ଗୁଡ଼ିକ ଖୋଜିଲା ବେଳକୁ ଆମ ସାମ୍ନାରେ ପାରିବାରିକ ଓ ସାମାଜିକ ହିଂସା ବିଶୃଙ୍ଖଳାର ଚିତ୍ର ସବୁ ଆସିଥାଏ । ଦିନକୁ ଦିନ ଉଦବେଗଜନକ ଭାବେ ଚୋରି, ଡକାୟତି, ହତ୍ୟା, ଦୁଷ୍କର୍ମ ଓ ଦୁର୍ନୀତି ଭଳି ଅପରାଧିକ ଘଟଣା ସାମାଜିକ ପରିବେଶକୁ ବିଗାଡ଼ି ଦେଉଛି । ଅପରାଧକୁ ଦମନ ତଥା ନିୟନ୍ତ୍ରଣ କରିବା ନିମିତ୍ତ ପୁଲିସ ଓ ପ୍ରଶାସନ ରହିଛି । ଅପରାଧୀଙ୍କୁ ଦଣ୍ଡ ଦେବା ନିମିତ୍ତ ଆଇନ ପ୍ରଣୟନ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଦୋଷୀମାନଙ୍କୁ କଠୋର ଦଣ୍ଡ ମଧ୍ୟ ପ୍ରଦାନ କରାଯାଉଛି । ଅପରାଧ ଘଟାଇ ଫେରାର ହୋଇଯାଉଛନ୍ତି ଅପରାଧୀ । ପୁଲିସ ଆଖିରେ ଧୂଳି ଦେଇ ବର୍ଷ ବର୍ଷ ଧରି ଫେରାର ହୋଇଯାଉଛନ୍ତି । ତେବେ ଅପରାଧୀ ଯେତେ ଚାଲାକ ହେଲେ ମଧ୍ୟ କିଛି ନା କିଛି ସୁରାକ ଛାଡ଼ି ଯାଇଥାଏ । ଆଉ ସେଇ ସୁରାକ ଆଧାରରେ ପୁଲିସ ପହଞ୍ଚôଥାଏ ଅପରାଧୀ ପାଖରେ । ତେବେ ଏସବୁ ଭିତରେ ସୂଚନା ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟରେ ବିଶେଷକରି ଜେଲ ବିଭାଗରେ ଅପରାଧୀ ମାନଙ୍କୁ କେବଳ ଚିହ୍ନଟ କରିବା ପାଇଁ ନୁହେଁ ବରଂ ସେମାନଙ୍କ ସାମଗ୍ରିକ ତଥା ସୂଚନାଭିତ୍ତିକ ତଥ୍ୟ ରଖାଯିବାର ବ୍ୟବସ୍ଥା କରାଯାଇଛି ।
ଅନ୍ୟ ବଡ଼ ବଡ଼ ଦେଶରେ ପ୍ରିଜନ ମ୍ୟାନେଜମେଣ୍ଟ ସିଷ୍ଟମ ଭଳି ଓଡ଼ିଶାର ବିଭିନ୍ନ ଜେଲରେ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ଟି ସମ୍ବେଦନଶୀଳ ଜେଲରେ ଏହି ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ହେଉଛି । ରାଜ୍ୟ ସରକାର ଜେଲ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଉଥିବାରୁ ନୂଆ ନୂଆ ଟେକ୍ନୋଲୋଜି ଜେଲ ବ୍ୟବସ୍ଥାରେ ଲାଗୁ କରୁଛନ୍ତି । ପୂର୍ବରୁ କଏଦୀଙ୍କ ଗୋଡ଼ରେ ଜିପିଏସ ଲାଗିବା ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଇଥିବାବେଳେ ବର୍ତ୍ତମାନ ଆଉ ଏକ ନୂଆ ଟେକ୍ନୋଲୋଜି ଯୋଡ଼ି ହେବାକୁ ଯାଉଛି ।
ତେବେ ଅନେକଙ୍କ ଭିତରେ ଏହି ଟେକ୍ନୋଲୋଜି ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ରହିବା ସ୍ୱାଭାବିକ । ମୁଖ୍ୟକଥା ହେଉଛି ଏହି ବ୍ୟବସ୍ଥା ଜେଲରେ ଏକ ସଫ୍ଟୱେର ଆପ୍ଲିକେସନ ଦ୍ୱାରା କାର୍ଯ୍ୟକାରୀ ହେବ । ପୁଲିସ ବିଭାଗର ସିସିଟିଏନଏସ ପରି ଜେଲ ବିଭାଗର ପ୍ରିଜନ ମ୍ୟାନେଜମେଣ୍ଟ ସିଷ୍ଟମ କଏଦୀଙ୍କ ସମସ୍ତ କୁଣ୍ଡଳୀ ରହିବ । ଯେଉଁଥିରେ ମୁଖ୍ୟତଃ ଜେଲରେ ରହୁଥିବା କଏଦୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଏବଂ ଜେଲରେ କାର୍ଯ୍ୟ କରୁଥିବା ୱାର୍ଡ଼ରମାନଙ୍କ ତଥ୍ୟ ମଧ୍ୟ ରହିବ । ଯାହାଦ୍ୱାରା ଅକସ୍ମାତ ଭୁଲବଶତଃ କୌଣସି କଏଦୀ ସମାନ ନାମ ଥିଲେ ମଧ୍ୟ ଖସିପାରିବେ ନାହିଁ । ଗତବର୍ଷ ରାଜ୍ୟର ଏକ ଜେଲରେ ସମାନ ନାମ ଥିବା ଅନ୍ୟ ଜଣେ ବ୍ୟକ୍ତି ଜାମିନ ପାଇଥିଲେ । ପ୍ରକୃତ ଜାମିନ ପାଇଥିବା ବ୍ୟକ୍ତି ମୁକୁଳିପାରି ନଥିଲେ । ସେତେବେଳେ ଏହି ଖବରଟି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିବା ସହ ଜେଲର ସୂଚନା ଓ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠିଥିଲା । ତେବେ ଏ ବ୍ୟବସ୍ଥା ଲାଗୁ ହେବାପରେ ଏଭଳି ତ୍ରୁଟି ଆଉ ହେବନାହିଁ । ଏହି ଆପ୍ଲିକେସନ କେବଳ ଜେଲର ଖୋଲିପାରିବେ । ତାଙ୍କୁ ଏକ ଆଇଡ଼ି ଏବଂ ପାସୱାର୍ଡ଼ ଦିଆଯିବ । ସେ ଏହାକୁ ଲଗଇନ କରି ଖୋଲି ସମସ୍ତ ତଥ୍ୟ ଦେଖିପାରିବେ ଏବଂ ଯୋଡ଼ି ପାରିବେ । ଆହୁରି ମଧ୍ୟ ଜେଲରେ କଏଦୀଙ୍କ ନାମ, ଠିକଣା, ତାଙ୍କର ଅପରାଧ, ସଜା ସମ୍ପର୍କରେ ତଥ୍ୟ ଯୋଡ଼ି ପାରିବେ । ଯାହାଦ୍ୱାରା ଯେକୌଣସି କଏଦୀଙ୍କ ସାମଗ୍ରିକ ତଥ୍ୟ ଜେଲ ଦାୟିତ୍ୱ ନେଇଥିବା ନୂତନ ଜେଲର ହୁଅନ୍ତୁ କମ୍ବା ଉଚ୍ଚ ଅଧିକାରୀ କୌଣସି ତଥ୍ୟ ଜାଣିବାକୁ ଚାହିଁଲେ ଆଇଡ଼ି ଲଗଇନ କରି ସହଜରେ ଜାଣିପାରିବେ । ଆହୁରି ମଧ୍ୟ ଏଥିରେ ଜେଲର ୱାର୍ଡ଼ରମାନଙ୍କ ଡୁ୍ୟଟି ସିଫ୍ଟ ମଧ୍ୟ ଲେଖିପାରିବେ । ଯଦି କୌଣସି ୱାର୍ଡ଼ରଙ୍କ ନାମରେ ଅଭିଯୋଗ ଆସେ ତାହା ମଧ୍ୟ ଏଥିରେ ଅପଡେଟ କରିପାରିବେ । ୱାର୍ଡ଼ର କେତେ ବର୍ଷ ନିର୍ଦ୍ଦିଷ୍ଟ ଜେଲରେ ରହିବେ, ଏବଂ କେଉଁ ଜେଲରୁ ଗଲେ ତାହା ଏଥିରେ ତଥ୍ୟ ରହିବ । ଯଦି କୌଣସି କଏଦୀଙ୍କ ନାମରେ ଏଫଆଇଆର କରିବାକୁ ଚାହିଁଲେ ଏହି ବ୍ୟବସ୍ଥାରେ ଜେଳର କରିପାରିବେ । ଏହି ବ୍ୟବସ୍ଥା ଦ୍ୱାରା ଉଚ୍ଚ ଅଧିକାରୀ ଜେଲ ପରିଚାଳନା କାର୍ଯ୍ୟ ସଠିକ ଢ଼ଙ୍ଗରେ ଓ ନିର୍ଘଣ୍ଟ ଭିତରେ ପରିଚାଳିତ ହେଉଛି କି ନାହିଁ ଓ ଏହି ତଥ୍ୟ ସବୁ ଅପଡେଟ ହେଉଛି କି ନାହିଁ ଏ ନେଇ ଉଚ୍ଚ ଅଧିକାରୀ ନିଜେ ନିରୀକ୍ଷଣ କରିବା ସହ ସେମାନେ ଏହା ଉପରେ ଦୃଷ୍ଟି ମଧ୍ୟ ଦେଇପାରିବେ । ଏହି ବ୍ୟବସ୍ଥା ପାଇଁ ତାଙ୍କ ପାଖରେ ଅନ୍ୟ ଏକ ଆଇଡି ଓ ପାସୱାର୍ଡ଼ ରହିବାର ବ୍ୟବସ୍ଥା ରହିଛି । ସେହିପରି ଜେଲରେ ଦଣ୍ଡ ଶେଷ ହେବା ପରେ କୌଣସି କଏଦୀ ସାଧାରଣ ଜୀବନ ବିତାଇବା ନିମିତ୍ତ ବାହାରକୁ ଯାଉଥିଲେ ମଧ୍ୟ ସେ ସମ୍ବନ୍ଧୀୟ ତଥ୍ୟ ଏଥିରେ ଉପଲବ୍ଧର ବ୍ୟବସ୍ଥା ରହିଛି । ତାଙ୍କ ଜେଲକୁ ଆସିଥିବା ସମୟ, ଦଣ୍ଡର କାରଣ ଓ ଠିକଣା ତଥା ଆଚରଣ ଓ ମନୋଭାବ ଏ ସବୁ କିଛି ସ୍ପଷ୍ଟ ଉଲ୍ଲେଖ ରହିବ । ତେବେ ଯେଉଁମାନେ ଗ୍ୟାଙ୍ଗଷ୍ଟର, କୁଖ୍ୟାତ ଓ ପେସାଦାର ଠକ ତଥା ଯେଉଁମାନେ ପେସାଦାର ଅପରାଧୀ ସେମାନଙ୍କ ସୂଚନାଭିତ୍ତିକ ତାଲିକା ଅଲଗା ରହିବାର ବ୍ୟବସ୍ଥା ହୋଇଛି । କଏଦୀମାନେ ପାରୋଲରେ ଯାଉଥିଲେ ଏ ନେଇ ସବିଶେଷ ତଥ୍ୟ ରହିବା ସହ କେସ ଫାଇଲ ଏହା ସହିତ ମଧ୍ୟ ସଂଲଗ୍ନ ହେବ । ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନିଆଯାଇ ବହୁ ସଂଖ୍ୟକ ରେକର୍ଡ଼ ରଖିବାର କ୍ଷମତା ରଖାଯାଇଛି ଯାହାକି କୌଣସି କାରଣ ବଶତଃ ଯେପରି ଡିଲିଟ ମଧ୍ୟ ନହୁଏ ସେ ଦିଗକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ନୂତନ ବ୍ୟବସ୍ଥା ଦ୍ୱାରା କାଗଜ ଖର୍ଚ୍ଚ ବଞ୍ଚôଯିବ ଏବଂ ହାତ ପାହାନ୍ତାରେ ସମସ୍ତ ତଥ୍ୟ ରହିବା ସହ ଫାଇଲ ହଜିବାର ସମ୍ଭାବନା ଆଉ ରହିବ ନାହିଁ ।
ମୋ : ୯୪୩୭୨୨୫୬୮୯